ଧୂଳିକଣା ପକ୍ଷରେ କ’ଣ ନକ୍ଷତ୍ର ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ? ଅସମ୍ଭବ ନିଶ୍ଚୟ । ତେବେ କ’ଣ ଚେଷ୍ଟା କରାଯିବ? ତାହାହିଁ ସଂଗତ । ମଣିଷ ପ୍ରେମରେ ଅସଂପୂର୍ଣ୍ଣ, ସିଦ୍ଧାନ୍ତ ଘେନିବାରେ ଅନିଶ୍ଚିତ ଆଉ ମୃତ୍ୟୁ ସମ୍ମୁଖରେ ବଡ଼ ଅସହାୟ; ତଥାପି ସେହି ଅସମର୍ଥ ଜୀବନ ଘେନି କବି ଗାଲିବଙ୍କର ସେହି ସଂଗତ କାର୍ଯ୍ୟଟିକୁ ସେ କରି ଚାଲିଥାଏ ଚିରକାଳ, ସୂର୍ଯ୍ୟାଭିସରଣରେ ସମୁଦ୍ୟତ କରିଥାଏ ନିରନ୍ତର । ବ୍ୟର୍ଥତା ଅବଶ୍ୟ ଅମୋଘ । ତେବେ ଯାହାକୁ ଆମେ ବ୍ୟର୍ଥତା କହୁଛେ ତହିଁର ଅପର ପ୍ରାନ୍ତରେ ବିଦ୍ୟମାନ ରହିଛି ପରମ ସାର୍ଥକତା, ଶୂନ୍ୟର ଅପର ପ୍ରାନ୍ତରେ ବର୍ତ୍ତମାନ ଅଖଣ୍ଡ ପୂର୍ଣ୍ଣତା, ବ୍ୟବଧାନ ଅସେତୁ ସମ୍ଭବ । ବିରହ ଅବସ୍ଥା ହିଁ ତେଣୁ ଚୈତନ୍ୟ ପୀଡ଼ିତ ମଣିଷର ବଂଚିବାର ଏକମାତ୍ର ସର୍ତ୍ତ ଓ ପାଥେୟ । ପ୍ରେମରେ ଉତ୍ତୀର୍ଣ୍ଣତା, ମିଳନରେ ଚରିତାର୍ଥତା - ଯାହା ସର୍ବଦା ଅନୁପସ୍ଥିତ । ଭଲ କବିଏ ତେଣୁ ଅମୃତର ଆକାଂକ୍ଷା ଓ ସଂଧାନ ଘେନି କବିତା ଲେଖିଥାନ୍ତି । ଯାହା ଅଲବ୍ଧ ଓ ଅପ୍ରାପଣୀୟ ତାହାରି ପାଇଁ ଶେଷକଥା । ବିରହ ଦୁଃଖ ମୂଲ୍ୟବାନ । କବିତାର ବିଶେଷତ୍ୱ ଏଇଠି, ମୂଲ୍ୟ ବି । କବିତା ମୂଲ୍ୟବାନ କେବଳ କବିତା ବୋଲି ନୁହେଁ, ତାହା ଚୈତନ୍ୟର ପ୍ରସୂନ ବୋଲି ମୂଲ୍ୟବାନ । ଆଉ ଚୈତନ୍ୟ ମାନେ ଆଧ୍ୟାତ୍ମିକ । କବି ପ୍ରତିଭା ଶତପଥୀ କବିତାରେ ସେହି ଅମୃତ ସଂଧାନରେ ଅଭିସରଣ ସମୁତ୍ସୁକ । ତାଙ୍କ କବିତାକୁ ତେଣୁ ଅଧ୍ୟାତ୍ମ ଭାବନାରୁ ବିଚ୍ଛିନ୍ନ କରି ଦେଖି ହୁଏ ନାହିଁ । ସେ କବିତା ଲେଖନ୍ତି ଅଧ୍ୟାତ୍ମ ଐତିହ୍ୟର ଉତ୍ତରାଧିକାର ଘେନି । ସେଇଥିପାଇଁ ତାଙ୍କ ’ଶବରୀ’, ’ତନ୍ମୟଧୂଳି’ ଓ ’ଅଧା ଅଧା ନକ୍ଷତ୍ର’ ପରି କବିତା ସଙ୍କଳନର ରଚନା ।